ଉପସ୍ଥାପନା -ଶ୍ରୀ ଅନ୍ନଦା ତ୍ରିପାଠୀ, ରାଜ୍ୟ ସାଧନ କର୍ମୀ
ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଖମାରପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଜର ଆକର୍ଷଣୀୟ ପରିବେଶ ପାଇଁ ବେଶ ଚର୍ଚ୍ଚିତ ! 1918 ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଦିନେ ଗମନାଗମନ ତଥା ଅନୁଷାଙ୍ଗିକ ସୁବିଧାରୁ ବଞ୍ଚିତ ହୋଇ ଦୀର୍ଘଦିନ ଧରି ସଂଗ୍ରାମ କରିଆସୁଥିଲା ! କାଳକ୍ରମେ ଗ୍ରାମବାସୀ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଦମ୍ୟ ସହଯୋଗରେ ଆଜି ଜିଲ୍ଲାର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ରୂପେ ଦଣ୍ଡାୟମାନ ହୋଇପାରିଛି ! ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 130 ଜଣ ଛାତ୍ରଛାତ୍ରୀ ଓ ମାତ୍ର ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏହି ବିଦ୍ୟାଳୟ ଆଜି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ! ତାହା କେବଳ ଗ୍ରାମବାସୀ, ବଦାନ୍ୟ ବ୍ୟକ୍ତି, ପୁରାତନ ଛାତ୍ର ଛାତ୍ରୀ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିସ୍ଵାର୍ଥପର ସେବା ଓ ଅବଦାନ ପାଇଁ ହିଁ ସମ୍ଭବ ହୋଇପାରିଛି !
ଆକର୍ଷଣୀୟ ଶ୍ରେଣୀକୋଠରୀ, ପଠନ ଗୃହ, ପାଠାଗାର, ସୁନ୍ଦର ବଗିଚା, ଔଷଧୀୟ ବୃକ୍ଷରାଜି ଓ ପ୍ରାର୍ଥନା ମଞ୍ଚ ସହିତ ଯାନବାହାନ ଷ୍ଟାଣ୍ଡ ବ୍ୟବସ୍ଥା ବିଦ୍ୟାଳୟର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିପାରିଛି ! ବିଦ୍ୟାଳୟର ସୁସଜ୍ଜିତ ସଭାଗୃହସ୍ଥ "ପ୍ରେମ ସୁଧାନିଧି ମଞ୍ଚ " ଓ ଶ୍ରେଣୀକୋଠରୀ ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିପାରିଛି! ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ସରକାର ଯୋଗାଇ ଦେଇଥିବା ବେଳେ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତା ଓ ସହଯୋଗରେ "ମୋ ସ୍କୁଲ ଅଭିଯାନ ପାଣ୍ଠି "ଏହାକୁ ସହଜ କରିପାରିଛି! ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଇଛି ।
ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଭାଷା କୋଣ, ଗଣିତ କୋଣ,ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଛି । ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହୋଇପାରିଛି ।ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟରେ ନିର୍ମିତ ହୋଇଛି "ଶତବାର୍ଷିକୀ ସ୍ମୃତି ପାଠାଗାର"! ଏହା ପାଲଟିଛି ପିଲାଙ୍କ ପାଇଁ 'ତଥ୍ୟ' ବା 'ଖବର'ର ସୁସଜ୍ଜିତ ଓ ସୁବ୍ୟବସ୍ଥିତ ସଂଗ୍ରହାଳୟ ! ଯାହାକି ପିଲା,ଗୋଷ୍ଠୀ ବା ସର୍ବସାଧାରଣଙ୍କ ପାଇଁ ତଥ୍ୟର ଉତ୍ସକୁ ଧାର ରୂପେ ନେବାର ସୁବିଧା ଯୋଗାଇଦେଇଥାଏ! ବିଦ୍ୟାଳୟ ତରଫରୁ ପ୍ରତ୍ୟେକ ବର୍ଷ ପିଲାଙ୍କ ସର୍ଜନାତ୍ମକ ଲେଖାକୁ ନେଇ "ଅମୃତ ହସ " ନାମକ ବାର୍ଷିକ ମାଗାଜିନ ପ୍ରକାଶିତ ହୁଏ ଓ ଅଞ୍ଚଳରେ କଳା, ସ୍ଥାପତ୍ୟ, ଶିକ୍ଷା, ସଂସ୍କୃତି ଆଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ "ଅମୃତ ହସ " ସମ୍ମାନରେ ସମ୍ମାନିତ କରାଯାଏ ! ଏଭଳି ବିଦ୍ୟାଳୟର ବିଭିନ୍ନ କୃତିତ୍ୱ ପାଇଁ ଏହି ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ସମ୍ମାନରେ ବହୁଥର ସମ୍ମାନିତ ହୋଇପାରିଛି !ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ମାନନୀୟା ଅମିତା ପଟ୍ଟନାୟକ ମାଡାମଙ୍କ ପରିଦର୍ଶନ ବିଦ୍ୟାଳୟ ପାଇଁ ଏକ ନିଆରା ଅନୁଭୂତି ସୃଷ୍ଟି କରିପାରିଛି! ଦୁର୍ଗମ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ ତା'ର ଇତିହାସରେ ପ୍ରଥମ ଥର ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସାନ୍ନିଧ ଲାଭ କରି କୃତାର୍ଥ ମନେ କରିଛି! ଆଜିର ପରିଦର୍ଶନ କାର୍ଯ୍ୟକ୍ରମ ଓ ବିଦ୍ୟାଳୟ ପରିସରରେ ଆୟୋଜିତ ବ୍ଲକସ୍ତରୀୟ "ଶିକ୍ଷା ସମୀକ୍ଷା ବୈଠକ " ରେ ପୌରୋହିତ୍ୟ ପୂର୍ବକ ମାଡାମଙ୍କ ସକାରାତ୍ମକ ପରାମର୍ଶ ଓ ଉତ୍ସାହଜନକ ଅଭିବ୍ୟକ୍ତି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସମସ୍ତ ସି ଆର ସି ସି ଏବଂ ଏ ବି ଇ ଓ ଙ୍କ ମନରେ ଶତସିଂହର ବଳ ସୃଷ୍ଟି ହେବା ପୂର୍ବକ ଶୈକ୍ଷିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ବଳ ଯୋଗାଇପାରିଛି ! ତତ ସହିତ ଆଗାମୀ ଦିନରେ ଉକ୍ତ ବିଦ୍ୟାଳୟର ବହୁମୁଖୀ ଶୈକ୍ଷିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ, ପ୍ରଧାନ ଶିକ୍ଷକ ଶ୍ରୀ ଜଗନ୍ନାଥ ନାୟକ, ସହକାରୀ ଶିକ୍ଷକ ଶ୍ରୀ ଉମା ଶଙ୍କର ସ୍ୱାଇଁ, ଶ୍ରୀ ଭଗବାନ ସାହୁ, ପ୍ରଜ୍ଞା ପାରମିତା ରଥ, ଶ୍ରୀ ଜିତେନ୍ଦ୍ର କିଶୋର ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଅକ୍ଷୟ କୁମାର ଦିହୁଡି ଆଶା ପ୍ରକଟ କରିଛନ୍ତି!
إرسال تعليق