BREAKING
Loading...
:

ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କ ଚିକିତ୍ସା ପାଇଁ ସହାୟତା କଲେ ଗଂଜାମ ଜିଲ୍ଲାପାଳ


ଛତ୍ରପୁର(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ସମ୍ପ୍ରତି ପରିଣତ ବୟସରେ ପକ୍ଷଘାତ ରୋଗରେ ପୀଡ଼ିତ ହୋଇ ଅସହ୍ୟ ଜୀବନ ଯନ୍ତ୍ରଣା ଭୋଗ କରୁଛନ୍ତି । ଶ୍ରୀ ସାହୁଙ୍କୁ କୌଣସି ସରକାରୀ ସହାୟତ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ରାଜ୍ୟ ସାମ୍ୱାଦିକ ସଂଘ SUJ ର ସଭାପତି କୈଳାଶ ଚନ୍ଦ୍ରନାୟକ ଓ ସମ୍ପାଦକ ହେମାଙ୍ଗ ରାଉଳ ଙ୍କ ପରାମର୍ଶ କ୍ରମେ ଏସୟୁଜେ ଗଂଜାମ ଜିଲ୍ଲା ଉପସଭାପତି ଶ୍ରୀ ନିରାକାର ସାହୁ ,ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏଲ.ସତୀଶ ରେଡ୍ଡୀ, ରାଜ୍ୟ ଓ ଜିଲ୍ଲା ବରିଷ୍ଠ ସଭ୍ୟ ସୂର୍ଯ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଗୁରୁବାର ଦିନ ଜଗନ୍ନାଥ ପ୍ରସାଦ ବ୍ଲକର ନରେନ୍ଦ୍ରପୁର ଗ୍ରାମକୁ ଯାଇ ପକ୍ଷ୍ୟାଘାତ ରୋଗରେ ପୀଡ଼ିତ  ବୟୋଜ୍ୟେଷ୍ଠ ସାମ୍ବାଦିକ ଶ୍ରୀ ପ୍ରସନ୍ନ ସାହୁଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ ।


ବୟୋଜ୍ୟେଷ୍ଠ ସାମ୍ବାଦିକ ଶ୍ରୀ ସାହୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ)ର ଏକ ପ୍ରତିନିଧି ମଣ୍ଡଳୀ  ସଭାପତି ବିଶ୍ୱନାଥ ମାରଣା , ଉପସଭାପତି ନିରାକାର ସାହୁ, ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା,ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏଲ.ସତୀଶ ରେଡ୍ଡୀ, ଜିଲ୍ଲା ଏସୟୁଜେ ବରିଷ୍ଠ ସଭ୍ୟ ସୂର୍ଯ୍ୟନାରାୟଣ ତ୍ରିପାଠୀ, ସାମ୍ବାଦିକ ଯଯାତି କେଶରୀ ବେହେରା

ପ୍ରମୁଖ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଶ୍ରୀ ସାହୁଙ୍କୁ ସହାୟତା ପାଇଁ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏସୟୁଜେ ଜିଲ୍ଲା କର୍ମକାର୍ତ୍ତାଙ୍କ ଦାବିକୁ ଗ୍ରହଣ କରି  ବୟୋଜ୍ୟେଷ୍ଠ ସାମ୍ବାଦିକ ପ୍ରସନ୍ନ ସାହୁଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ତୁରନ୍ତ ୩୦ହଜାର ଟଙ୍କା ମଞ୍ଜୁର କରିବା ସହ ଜଗନ୍ନାଥ ପ୍ରସାଦ ବିଡ଼ିଓ ଅନୁପ ପଣ୍ଡା ଙ୍କୁ ରୋଗାକ୍ରାନ୍ତ ସାମ୍ବାଦିକଙ୍କ ସମ୍ପର୍କରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି । ରିପୋର୍ଟ ଆଧାରରେ ବୟୋଜ୍ୟେଷ୍ଠ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଆବଶ୍ୟକ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା ଜିଲ୍ଲା ଏସୟୁଜେ କର୍ମକର୍ତ୍ତାଙ୍କୁ ପ୍ରତିଶୃତି ଦେଇଛନ୍ତି । ଏତଦବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସାମ୍ବାଦିକ ଓ ତାଙ୍କ ପରିବାର ପାଇଁ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।    ପ୍ରଜାତନ୍ତ୍ର ଖବର କାଗଜରୁ ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ସାହୁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ସମାଜ ପାଇଁ ନିଜର ସାମାଜିକ ଦାଇତ୍ୱବୋଧ ନିର୍ବାହ କରି ସୀକୃତିପ୍ରାପ୍ତ ସାମ୍ବାଦିକତାର ମାନ୍ୟତା ପାଇଥିଲେ । 



ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ସାହୁଙ୍କ ସହ ଆଲୋଚନା ସମୟରେ ସେ ଏସୟୁଜେ  ପ୍ରତିନିଧି ଦଳକୁ ସାମ୍ବାଦିକତାର ବିଭିନ୍ନ ଉପାଦେୟ ଉପାଦାନ ସମ୍ପର୍କରେ କହିବା ସହ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା, ସତ୍ୟ ,ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ପାଇଁ ଗୁରୁତ୍ୱାରୋପ କରିଥିଲେ ।  ଖୋସାମଦି ସାମ୍ବାଦିକତାକୁ ସେ ନା ପସନ୍ଦ କରିଥିଲେ।କର୍ତ୍ତବ୍ୟରତ ସାମ୍ବାଦିକ କୁ ହିଁ ସରକାର ଙ୍କ ଗୋପବନ୍ଧୁ ଯୋଜନା ରେ ସାମିଲ କରାଯାଇ ସ୍ୱାସ୍ଥ୍ୟ ବୀମା ରେ ଅନ୍ତର୍ଭୁକ୍ତ କରଯାଉଛି, କିନ୍ତୁ ବାର୍ଦ୍ଧକ୍ୟ ସମୟ ରେ ସାମ୍ବାଦିକ କରିପାରୁନଥିବା ସାମ୍ବାଦିକ ଗୋପବନ୍ଧୁ ଯୋଜନା ରୁ ସୁବିଧା  ପାଇପାରୁନାହାନ୍ତି ତେଣୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି SUJ ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ କହିଛନ୍ତି ।

Post a Comment

أحدث أقدم
Header ADS