BREAKING
Loading...
:

ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ

 


ଗଜପତି ମହାରାଜା ବୀରକିଶୋର ଦେବ ଓ ମହାରାଣୀ ସୂର୍ଯ୍ୟମଣି ପାଟ୍ଟମହାଦେଇଙ୍କ କୋଳରେ ଫେବୃଆରୀ ମାସ 6 ତାରିଖ, 1953 ମସିହାରେ ପୁତ୍ର ସନ୍ତାନଟିଏ ଜନ୍ମହେଲେ। ତାଙ୍କର ନାମ ରଖାଗଲା କାମାର୍ଣ୍ଣବ ଦେବ। ତାଙ୍କ ଜନ୍ମ ସମୟର ସୁନ୍ଦର କଥାଟିଏ ଲେଖିଛନ୍ତି ଡାକ୍ତର ଶ୍ରୀମତୀ ବୀଣା ଦେଇ। ମହାରାଣୀଙ୍କ ସନ୍ତାନ ଜନ୍ମ ସମୟର ଚିକିତ୍ସା କରିବା ଦାୟିତ୍ୱ ଡାକ୍ତର ବୀଣା ଦେଇ ନେଇଥିଲେ। କାମାର୍ଣ୍ଣବ ଦେବଙ୍କ ଜନ୍ମ ସମୟର କଥାଟି ସେ ଏହିପରି ଲେଖିଛନ୍ତି, ରାଜ ଉଆସର ପ୍ରଥା ଅନୁଯାୟୀ ନବଜନ୍ମିତ ଶିଶୁର ନାଭି ଗୋଟିଏ ଧାରୁଆ ସ୍ୱର୍ଣ୍ଣ ନିର୍ମିତ ମୁଦ୍ରାରେ କଟା ଯାଉଥିଲା। ଏବଂ ସେହି କାମଟି ଜଣେ ଧାଈ କରୁଥିଲେ। କିନ୍ତୁ ଡାକ୍ତର ବୀଣା ଦେଇ ରାଣୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସ୍ୱର୍ଣ୍ଣ ମୁଦ୍ରାରେ ନାଭି କାଟିବାପାଇଁ ବାରଣ କରି କେବଳ ମୁଦ୍ରାଟିକୁ ନାଭିରେ ଛୁଆଁଇ ଦେଇଥିଲେ। ଏବଂ ନିଜେ ଅନ୍ୟ ଯୋଗ୍ୟ ଯନ୍ତ୍ରରେ କାଟିଥିଲେ। ଧାଈ ନାଭି କାଟି ସାରିଲା ପରେ ଧାଈଙ୍କୁ ସେହି ସ୍ୱର୍ଣ୍ଣ ମୁଦ୍ରାଟି ଉପହାର ହିସାବରେ ଦିଆଯାଉଥିଲା। ଏହାହିଁ ରାଜ ଉଆସର ପ୍ରଥା ଥିଲା। ସେଦିନ ମଧ୍ୟ ଧାଈ ସ୍ୱର୍ଣ୍ଣ ମୁଦ୍ରାଟି ନେଇଥିଲେ। 
 ଶିଶୁ ରାଜକୁମାର କାମାର୍ଣ୍ଣବ ଦେବ କ୍ରମେ ବଡ଼ହେଲେ। 1957 ମସିହା ଅର୍ଥାତ୍ ଚାରିବର୍ଷ ବୟସରେ ପାଠପଢ଼ା ଆରମ୍ଭ କଲେ। ପୁରୀ କନଭେଣ୍ଟ୍ ସ୍କୁଲରେ ତିନିବର୍ଷ ପାଠ ପଢ଼ିଲେ। ତା'ପରେ ମଧ୍ୟପ୍ରଦେଶରେ ଥିବା ଛତିଶଗଡ଼ର "ରାଜକୁମାର କଲେଜ୍ ଅଫ୍ ରାୟପୁର "କୁ ଚାଲିଗଲେ। 
ସେଠାରେ ପଢ଼ିବା ବେଳେ ତାଙ୍କର ଭଲ ଗୁଣ ଗୁଡ଼ିକ ବିକଶିତ ହେବାକୁ ଲାଗିଲା। ସଂଗୀତ, ଖେଳ, ପଢ଼ାପଢ଼ି ପ୍ରତି ଆଗ୍ରହୀ ହେଲେ। ତାଙ୍କର ପିତା ଗଜପତି ମହାରାଜା ବୀରକିଶୋର ଦେବ ମଧ୍ୟ ଅନେକ ଗୁଣର ବ୍ୟକ୍ତିତ୍ୱ ଥିଲେ। ଉଡ଼ାଜାହାଜ ଚଳାଇବାରେ ତାଙ୍କର ପ୍ରମୁଖ ଆଗ୍ରହ ଥିଲା। ସେଥିପାଇଁ ସେ ଭୁବନେଶ୍ଵର ଫ୍ଲାଇଂ କ୍ଲବରେ ଯୋଗ ଦେଇଥିଲେ। ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳୀ ଥିଲେ। ମୋହନବାଗାନ୍ ଫୁଟବଲ୍ କ୍ଲବ୍ ଅଫ୍ କଲିକତା ତରଫରୁ ପ୍ରତିଯୋଗିତା ମାନଙ୍କରେ ଖେଳିଛନ୍ତି। ଓଡ଼ିଶାରେ ଫୁଟବଲ୍ ର ପ୍ରସାର ପାଇଁ ନିରନ୍ତର କାମ କରୁଥିଲେ। ତାଙ୍କ ନେତୃତ୍ୱରେ ପୁରୀ ଫୁଟବଲ୍ ଟିମ୍ ଖୁବ୍ ସୁନାମ ଅର୍ଜନ କରିଥିଲା। ସେ ଜଣେ ଦକ୍ଷ ଅଶ୍ୱ ଚାଳକ ଥିଲେ। କଲିକତା ଟର୍ଫ୍ କ୍ଲବର ଦୌଡ଼ରେ ଅଂଶ ଗ୍ରହଣ କରୁଥିଲେ। ଲନ୍ ଟେନିସ୍ ଖେଳରେ ମଧ୍ୟ ତାଙ୍କର ଦକ୍ଷତା ଥିଲା। ଏତେ ଗୁଡ଼ାଏ ଚଳ ଚଞ୍ଚଳ ଆଗ୍ରହ ଭିତରେ ସଂଗୀତ ପ୍ରତି  ତାଙ୍କର ଆଗ୍ରହ ଥିଲା। ଏବଂ ସେ ଜଣେ ଉଚ୍ଚକୋଟୀର ଚିତ୍ରକର ମଧ୍ୟ ଥିଲେ। 
ଏପରି ଜଣେ ପିତାଙ୍କର ପୁତ୍ର ରାଜକୁମାର କାମାର୍ଣ୍ଣବ ଦେବ କେମିତି ଜଣେ ସାଧାରଣ ରାଜକୁମାର ହୋଇ ରହିପାରିବେ। ପିତାଙ୍କ ଠାରୁ ଉତ୍ସାହ ପାଇ ସେହି ବାଳକ ବୟସରୁ ଫୁଟବଲ ଖେଳିବାକୁ ଆରମ୍ଭ କରିଦେଲେ। ସଂଗୀତ ପ୍ରତି ଆଗ୍ରହୀ ହୋଇ ଭାୟୋଲିନ୍ ବଜାଇବା ଶିଖିଲେ। ନିୟମିତ ଟେନିସ୍ ଖେଳିଲେ। 
1968 ମସିହା ପର୍ଯ୍ୟନ୍ତ ରାଜକୁମାର କଲେଜରେ ପଢ଼ିଲା ପରେ ଦିଲ୍ଲୀର ସେଣ୍ଟ୍ ଷ୍ଟିଫେନ୍ସ କଲେଜକୁ ଚାଲିଗଲେ। ସେଇଠି ପଢ଼ୁଥିବା ବେଳେ ଜୁଲାଇ 7 ତାରିଖ, 1970 ମସିହାରେ ତାଙ୍କର ଅଭିଷେକ କରାଗଲା। କାମାର୍ଣ୍ଣବ ନାମ ବଦଳି ସେ ହେଲେ ଗଜପତି ଦିବ୍ୟସିଂହ। କିନ୍ତୁ ସେଣ୍ଟ୍ ଷ୍ଟିଫେନ୍ସ କଲେଜର ଛାତ୍ର ହିସାବରେ ତାଙ୍କ ନାମ କାମାର୍ଣ୍ଣବ ଦେବ ରହିଥିଲା। 
ସେଠାରେ ଚାରିବର୍ଷ ପଢ଼ିଲାପରେ ଆଇନ୍ ପଢ଼ିବାପାଇଁ ଦିଲ୍ଲୀ ୟୁନିଭରସିଟିରେ ନାମ ଲେଖାଇଲେ। 1975 ମସିହାରେ ଏଲ. ଏଲ. ବି. ଡିଗ୍ରୀ ଗ୍ରହଣ କରି ସେଠାରୁ ଆସିଲେ। 
ପାରିବାରିକ ପ୍ରଥା ଅନୁଯାୟୀ ଏହି ସମସ୍ତ ମଧ୍ୟରେ ଗଜପତି ଦିବ୍ୟସିଂହ ଦେବ ଆଧ୍ୟାତ୍ମିକ ଦୀକ୍ଷା ଗ୍ରହଣ କରି ସାରିଥିଲେ। ସାନଛତା ମଠର ମହନ୍ତ ମହାରାଜ ପୂଜ୍ୟ ଗୁରୁଦେବ ଗଙ୍ଗାଦାସଜୀ ମହାରାଜ ଦୀକ୍ଷା ପ୍ରଦାନ କରିଥିଲେ। କିନ୍ତୁ ଅନୁକୂଳ ପରିବେଶ ଅଭାବରୁ ଆଧ୍ୟାତ୍ମିକ ଜ୍ଞାନର ବୀଜ ଅଙ୍କୁରିତ ନହୋଇ ଏକ ପ୍ରକାରର ଚାପ ଭିତରେ ରହିଗଲା। 
ଗଜପତି ଦିବ୍ୟସିଂହ ଦେବଙ୍କ ଅଭିଷେକ ହେବା, ପିତାଙ୍କ ଦେହାନ୍ତ ହେବା, ମନ୍ଦିରର ମୂଖ୍ୟ ସେବକର ଦାୟିତ୍ବ ରୂପରେ ବ୍ରତୋପନୟନ ଓ ଶାଢ଼ୀବନ୍ଧା ପରି କାର୍ଯ୍ୟ ସମୟରେ ମଧ୍ୟ ସେ ଏଥିପ୍ରତି ଆଗ୍ରହୀ ହୋଇ ପାରିନଥିଲେ। 
ଦିଲ୍ଲୀ ୟୁନିଭରସିଟିର ଲ' ଡିଗ୍ରୀ ହାସଲ କଲାପରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ସେ ଆମେରିକାର ଚିକାଗୋ ସହରରେ ଥିବା "ସ୍କୁଲ୍ ଅଫ୍ ଲ' ଅଫ୍ ଫେମସ୍ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭରସିଟି " ରେ ଯୋଗ ଦେଲେ। ସେଠାରୁ ଏଲ୍. ଏଲ୍. ଏମ୍. ଡିଗ୍ରୀ ନେଇ ଫେରିଲେ। 
ଏହାପରେ ଆଉ ପାଠ ପଢ଼ିବେ ବା ଆଉକିଛି କରିବେ ସେ ବିଷୟରେ ଯୋଜନା ଓ ଚିନ୍ତାମାନ କରିବାକୁ ଲାଗିଲେ। ତାଙ୍କ ଜୀବନ ଦୁଇଟି ପରସ୍ପର ବିରୋଧୀ ଦିଗକୁ ପ୍ରସାରିତ ହୋଇ ରହିଥିଲା। ପ୍ରଥମଟି ହେଲା ପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ହିସାବରେ ବର୍ଷସାରା ସେଥିପ୍ରତି ଧ୍ୟାନ ଦେବା ଓ ଗୁରୁପ୍ରଦତ୍ତ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବା। 
ଦ୍ୱିତୀୟଟି ହେଲା ପାଶ୍ଚାତ୍ୟ ଡିଗ୍ରୀ ସହିତ ଆଇନ ବୃତ୍ତିରେ ମନୋନିବେଶ କରି ସହଜ ଜୀବନଯାପନ କରିବା। 
ଏଇଭଳି ସମୟରେ ଜଣେ କନିଷ୍ଠ ଆଇନଜ୍ଞ ଭାବରେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ରେ କାମ କରିବା ପାଇଁ ତାଙ୍କୁ  ସୁଯୋଗ ମିଳିଗଲା। ସେଠାକୁ ଯାଇ ଅଶୋକ ସେନ୍( ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳର ଆଇନ ମନ୍ତ୍ରୀ), ବି. ଏନ୍. କ୍ରିପାଲ୍ ( ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ହୋଇଥିଲେ), ଅମୋଲ୍ କୁମାର ଗାଙ୍ଗୁଲୀ (ସୁପ୍ରିମକୋର୍ଟ ର ବରିଷ୍ଠ ଓକିଲ) ଙ୍କ କନିଷ୍ଠ ରୂପରେ କାର୍ଯ୍ୟ କରିବେ। ଫଳରେ ଆଇନ ବୃତ୍ତି ପ୍ରତି ତାଙ୍କର ଆଗ୍ରହ ଖୁବ୍ ବଢ଼ିଗଲା। ପ୍ରଭୁଙ୍କର ସେବାପ୍ରତି ମଧ୍ୟ ଆଗ୍ରହ ଥିଲା। ସେ ଦ୍ୱନ୍ଦରେ ପଡ଼ିଗଲେ। ଯଦି ପ୍ରଧାନ ସେବକର କାର୍ଯ୍ୟ ତୁଲାଇବେ ତେବେ ତାଙ୍କର ଏ ଶିକ୍ଷା, ସେଥିପାଇଁ କରିଥିବା ଶ୍ରମ ମୂଲ୍ୟହୀନ ହୋଇଯିବ। ଏପରି ଚିନ୍ତାରେ ବୁଡ଼ି ରହିଥିବା ବେଳେ ସର୍ବଶକ୍ତିମାନ ଈଶ୍ୱର ବାରିଷ୍ଟର ଗୋବିନ୍ଦ ଦାସ ( ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସର ଲେଖକ) ଙ୍କ ମାଧ୍ୟମରେ ଦ୍ୱନ୍ଦର ସମାଧାନ ପାଇଁ ଆଲୋକର ଏକ ସ୍ଫୁଲିଙ୍ଗ ଦେଖାଇଦେଲେ। ବାରିଷ୍ଟର ଦାସ ସେତେବେଳେ ଓଡ଼ିଶାର ଏଡଭୋକେଟ୍ ଜେନେରାଲ ଥାଆନ୍ତି। ବାରିଷ୍ଟର ଦାସ ଗଜପତି ମହାରାଜାଙ୍କୁ  ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ଗଜପତି ମହାରାଜା ଗୋଟେ ଖବର ପାଇଲେ। ଫଳରେ ସେ ଖୁବ୍ ଉତ୍ସାହିତ ହୋଇ ଉଠିଲେ। ଆଇନ ବୃତ୍ତିକୁ ନେଇ କିଛି ଭଲ ପରାମର୍ଶ ପାଇବେ ବୋଲି ଆଶା କରି ସାକ୍ଷାତ ପାଇଁ ଆଗ୍ରହୀ ହୋଇଗଲେ। ବାରିଷ୍ଟର ଦାସ କିନ୍ତୁ ଅଲଗା କାରଣ ପାଇଁ ସାକ୍ଷାତ କରିବାକୁ ଚାହୁଁଥିଲେ। ଏହି ସାକ୍ଷାତ ପରେ ଗଜପତି ମହାରାଜାଙ୍କ ଜୀବନର ମୋଡ଼ ବଦଳିଯିବ ସେକଥା ନିଜେ ଗଜପତି ମହାରାଜା ମଧ୍ୟ ଆଶା କରିନଥିଲେ। ଦିନେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହେଲା। ଚାହା, ଜଳଖିଆ ଓ ସାଧାରଣ କଥାବାର୍ତ୍ତାରୁ ଜଣେ ବରିଷ୍ଠ ଆଇନଜୀବୀ ଓ ଜଣେ ଯୁବକ ଗଜପତି ମହାରାଜାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେଲା। କଥାବାର୍ତ୍ତା ଚାଲିଥିବା ବେଳେ ବାରିଷ୍ଟର ଗୋବିନ୍ଦ ଦାସ ସୁଯୋଗ ନେଇ କହିଲେ, ଆପଣ ହେଲେ ଗଜପତି ମହାରାଜା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରଧାନ ସେବକ। ଆପଣ ଓଡ଼ିଶାର ଜନସାଧାରଣ ଓ ଏହା ସହିତ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତମାନଙ୍କର ମଧ୍ୟ ସମ୍ମାନନୀୟ ଅଟନ୍ତି। ଯଦି ଆପଣ ଆଇନ ବୃତ୍ତିରେ ମନୋନିବେଶ କରିବେ ତେବେ ଆପଣଙ୍କୁ ବିଚାରପତିମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିବ। "ମାଇଁ ଲର୍ଡ଼ " କିମ୍ବା "ୟୋର୍ ଅନର୍ " କହିବାକୁ ପଡ଼ିବ। ଆପଣ ଈଶ୍ୱରଙ୍କ ବ୍ୟତିତ ଆଉ କାହା ଆଗରେ ମଥା ନତ କରିବେ ମୁଁ ଜଣେ ଓଡ଼ିଆ ହିସାବରେ ଏକଥା ଆଦୌ ସହ୍ୟ କରିପାରିବି ନାହିଁ। ବାରିଷ୍ଟର ଦାସଙ୍କ ଏହି କଥାରେ ଗଜପତି ମହାରାଜାଙ୍କ ମନ ବଦଳିଗଲା। 1980 ମସିହା ବେଳକୁ ସେ ଅନୁଭବ କରିବାକୁ ଲାଗିଲେ - ଜଗନ୍ନାଥଙ୍କ ସେବାରେ ହିଁ ମୋତେ ଅଧିକ ସମୟ ବ୍ୟୟ କରିବାକୁ ହେବ। କିନ୍ତୁ ସେହି ସମୟ ବେଳକୁ ଚାରୋଟି କୁମାରୀମଣି ଜନ୍ମ ହେବା ସହିତ କ୍ରମେ ବୃଦ୍ଧି ପାଉଥିବା ପରିବାରର ଚାପ ହେତୁ ତାଙ୍କୁ ଅଧିକାଂଶ ସମୟ ଡେରାଡୁନରେ ରହିବାକୁ ପଡ଼ୁଥିଲା। ସେହି ସମୟ ଗୁଡ଼ିକ ହେଲା 1980 ରୁ 1993 ମସିହା। ଚଉଦ ବର୍ଷ। ଗଜପତି ମହାରାଜା ଏହି ଚଉଦ ବର୍ଷକୁ ନିଜର ବନବାସ ସମୟ ବୋଲି କହିଥାନ୍ତି। ତାହା ଏକପ୍ରକାର ସାଧନାର ସମୟ ଥିଲା। ସଦଗ୍ରନ୍ଥ ପାଠ, ସଦଗୁରୁ ସାକ୍ଷାତ ଓ ସତସଙ୍ଗ ମିଳିବାରୁ ସେ କ୍ରମେ ଆଧ୍ୟାତ୍ମିକତାରେ ମଜ୍ଜିବାକୁ ଲାଗିଲେ। ତାଙ୍କ ମନ ଭିତରେ ଆଧ୍ୟାତ୍ମିକତାର ଯେଉଁ ମଞ୍ଜିଟି ନୀରବ ହୋଇ ରହିଥିଲା ତାହା କ୍ରମେ ଅଙ୍କୁରୋଦ୍ଗମ ହେବାକୁ ଲାଗିଲା। ବୃଦ୍ଧିପାଇ ଶାଖା ପ୍ରଶାଖା ବିକଶିତ ହେଲା। ଆଧ୍ୟାତ୍ମିକତା ସହିତ ଗଜପତି ମହାରାଜା ମଝିରେ ମଝିରେ କିପରି ଜଡ଼ିତ ହୋଇ ଯାଉଥାନ୍ତି ତା'ର ଏକ ଉଦାହରଣ। ଯେତେବେଳେ ଦିଲ୍ଲୀରେ ରହି ପାଠ ପଢ଼ୁଥିଲେ ସେହି ସମୟର କଥା। ଗଜପତି ମହାରାଜା ହଷ୍ଟେଲରେ ରହୁଥିଲେ। ହଷ୍ଟେଲ୍ ମାନଙ୍କରେ ସାଧାରଣତଃ ମନପସନ୍ଦର ଖାଦ୍ୟ ମିଳିନଥାଏ। ତେଣୁ ଗଜପତି ମହାରାଜା ଶନିବାର ଦିନ ଗୁଡ଼ିକରେ ନିମନ୍ତ୍ରଣ ପାଇ କଳାହାଣ୍ଡି ମହାରାଜା ପ୍ରତାପକେଶରୀ ଦେବଙ୍କ ନୂଆଦିଲ୍ଲୀସ୍ଥିତ ସାଉଥ୍ ଏଭେନ୍ୟୁ ର ଚାରି ନମ୍ବର କ୍ୱାର୍ଟର୍ କୁ ଯାଆନ୍ତି। କଳାହାଣ୍ଡି ମହାରାଜା ସ୍ୱତନ୍ତ୍ର ପାର୍ଟିର ଜଣେ ଏମ୍. ପି. ଥିଲେ। ପାର୍ଲିଆମେଣ୍ଟରେ ଦଳର ଉପନେତା ଥିଲେ। ତାଙ୍କ ପତ୍ନୀ ତଥା କଳାହାଣ୍ଡିର ମହାରାଣୀ ପୁରୀ ଗଜପତି ମହାରାଜା ବୀରକିଶୋର ଦେବଙ୍କ ଭଉଣୀ ଥିଲେ । ସେ ଦୁହେଁ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପିଉସା ଓ ପିଉସୀ। ତାଙ୍କର ଶ୍ରଦ୍ଧାପୂର୍ଣ୍ଣ ନିମନ୍ତ୍ରଣ ଯୋଗୁଁ କେବେକେବେ ଶନିବାର ଦିନ ସେ ସେଠାକୁ ଯାଉଥିଲେ। ଥରେ ଏଇଭଳି ପିଉସାଙ୍କ କ୍ୱାର୍ଟର୍ କୁ ଯାଇଥିବା ବେଳେ ଦେଖିଲେ ପରିବାର ସାରା ଘରେ କେହି ନାହାନ୍ତି। ବାହାରକୁ ଯାଇଛନ୍ତି। ତେଣୁ ସେ ଏକୁଟିଆ ଘରଟାରେ ବସି ଏଣେତେଣେ ଚାହୁଁଥିଲେ। ଅଚାନକ୍ ତାଙ୍କର ଦୃଷ୍ଟି ପଡ଼ିଗଲା ଗୋଟିଏ ବହି ଉପରେ। ଯେଉଁଟି ଟେଲିଫୋନ ରହିବା ଯାଗାରେ ଥିଲା। ବହିଟି ହେଲା ଶ୍ରୀମଦ୍ ଭାଗବତ ଗୀତା। ଯାହାର ଟୀକା ଓ ଭାଷ୍ୟ ଲେଖିଥିଲେ ସ୍ୱାମୀ ଚିଦଭାବାନନ୍ଦ। ଏବଂ ପ୍ରକାଶକ ଥିଲେ ରାମକୃଷ୍ଣ ତପୋବନମ୍। ଗଜପତି ମହାରାଜା ନିରବରେ ବସି ପୃଷ୍ଠା ଓଲଟାଇବାକୁ ଲାଗିଲେ। ହଠାତ୍ ତାଙ୍କ ମନରେ ଗୋଟେ ଭାବ ଆସିଲା,ଆଜିଯାଏ ମୁଁ ଯାହା ପଢ଼ିଛି ସବୁକିଛି ଅଦରକାରୀ, ଅଯଥା, ଆବର୍ଜନା। ମୁଁ ଏବେ ଯାହା ପଢ଼ୁଛି ତାହାହିଁ ଜୀବନ। କ୍ରମେ ତାଙ୍କ ମନରେ ଉଠୁଥିବା ସନ୍ଦେହ ସବୁ ମୋଚନ ହେବାକୁ ଲାଗିଲା। ତାଙ୍କ ମନ ସ୍ଥିରତା ଆଡ଼କୁ ଅଗ୍ରସର ହେଲା। ଏହାପରେ ସେ ଭାରତର ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁମାନଙ୍କ ପାଖକୁ ଯିବାକୁ ଲାଗିଲେ। ପ୍ରଥମ ହେଲେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ । ସେ ହେଲେ ଋଷିକେଷର ଅନ୍ତର୍ଜାତୀୟ ଦିବ୍ୟଜୀବନ ସଂଘର ସ୍ରଷ୍ଟା ସ୍ୱାମୀ ଶିବାନନ୍ଦଙ୍କ ପ୍ରମୁଖ ଶିଷ୍ୟ। ତା'ପରେ ଗଲେ ମୁମ୍ବାଇର ଅନ୍ତର୍ଜାତୀୟ ଚିନ୍ମର ମିଶନର ସ୍ରଷ୍ଟା ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କ ପାଖକୁ। 1989 ମସିହାରେ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇଙ୍କ ସହିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କଠାରୁ ଦୀକ୍ଷା ଗ୍ରହଣ କଲେ।  ନିୟମିତ ଭାବରେ ଜପ, ଧ୍ୟାନ, ଯୋଗାସନ ଓ ପ୍ରାଣାୟାମରେ ମଗ୍ନ ରହିଲେ। ଋଷିକେଷ ଶିବାନନ୍ଦ ଆଶ୍ରମର ସାଧନା କ୍ୟାମ୍ପରେ ଓ ହିମାଚଳ ପ୍ରଦେଶସ୍ଥ ଚିନ୍ମୟ ମିଶନର ସିଦ୍ଧି ବାଡ଼ିରେ ଯୋଗ ଦେବାକୁ ଲାଗିଲେ। ସ୍ୱାମୀ ଚିନ୍ମୟାନନ୍ଦ ଗୀତାଜ୍ଞାନ ଯଜ୍ଞ ପାଇଁ ଡେରାଡୁନ ଗଲେ ଗଜପତି ମହାରାଜାଙ୍କ ବାସଗୃହରେ ତାଙ୍କ ପରିବାର ସହିତ ରହୁଥିଲେ। ଫଳରେ ଆଧ୍ୟାତ୍ମିକ ଜୀବନର ଉନ୍ନତି ପାଇଁ ଜଣେ ସଦଗୁରୁଙ୍କ ସାନିଧ୍ୟ ଯୁବକ ଗଜପତିଙ୍କ ପାଇଁ ଖୁବ୍ ସହାୟକ ହେଉଥିଲା। ବର୍ତ୍ତମାନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ  ଦେଖିଲେ ଜାଣିହେବନାହିଁ ଯେ ଚିକାଗୋର ସେଣ୍ଟ୍ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ ଶେଷ କରିଥିବା ସେ  ଜଣେ ଉଚ୍ଚ ଶିକ୍ଷିତ ଛାତ୍ର ବୋଲି। ଏବେ ସେ କେବଳ ଶ୍ରୀ ଜଗନ୍ନାଥଙ୍କର ଜଣେ ସମର୍ପିତ ସେବକ ମାତ୍ର। ଠାକୁର ରାଜା।

Post a Comment

Previous Post Next Post
Header ADS